ଭକ୍ତଙ୍କ ପ୍ରବଳ ସମାଗମ ମଧ୍ୟରେ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ତଥା ସାରା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରାତାରିଣୀଙ୍କ ନବକଳେବରରେ ସୁସଜ୍ଜିତ ନୂଆ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି। ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥିର ପବିତ୍ର ଅବସରରୁ ଏହି ୬ ଦିନିଆ ଆଧ୍ୟାତ୍ମିକ ମହୋତ୍ସବ ଶୁଭାରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ମଧ୍ୟରେ ପୀଠ ଏବେ ଉତ୍ସବମୁଖରିତ। ମନ୍ଦିର ପରିସର ଆଧ୍ୟାତ୍ମିକ ମାହୋଲରେ ପ୍ରକମ୍ପିତ ହୋଇ ଉଠୁଛି। ଭକ୍ତମାନେ ଦେବୀ ଦର୍ଶନ ଓ ମାଁଙ୍କ ପୂଜାର୍ଚ୍ଚନା ସହ ନିଜକୁ ପ୍ରତିଷ୍ଠା ଉତ୍ସବରେ ସାମିଲ କରି ଭାଗ୍ୟବାନ ମଣିଛନ୍ତି। ରତ୍ନଗିରି ପର୍ବତରେ ପୂଜିତ ଦେବୀ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନ ରବିବାରରେ ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ ରୀତିନୀତି ସମ୍ପନ୍ନ କରାଯାଉଛି। ମାଁ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଏହି ଆଧ୍ୟାତ୍ମିକ ଉତ୍ସବ ବେଶ୍ ସୁରୁଖୁରୁରେ ଆରମ୍ଭ ହୋଇ ଭକ୍ତଙ୍କ ଗହଳି ଓ ଆଧ୍ୟାତ୍ମିକତା ଭାବାବେଗ ସହ ଆଗେଇ ଚାଲିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଭକ୍ତଙ୍କ ହିତ ଓ ସୂଚାରୁ ରୂପେ ଦର୍ଶନ ସକାଶେ ଯାବତୀୟ ବ୍ୟବସ୍ଥା କରାଯାଇଛି। ଆସନ୍ତା ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଆଧ୍ୟାତ୍ମିକ ତଥା ବିକାଶର ମହୋତ୍ସବରେ ସାମିଲ ହେବେ।

ଗୋଟିଏ ପଟେ ମେ ମାସର ପ୍ରଚଣ୍ଡ ଖରା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସୂର୍ଯ୍ୟଙ୍କ ରୌଦ୍ରପ୍ରକୋପ ଲୋକଙ୍କୁ ଅତ୍ୟନ୍ତ ବିବ୍ରତ କରି ପକାଉଛି। ତେବେ ଏହି କାଠିକର ପରିସ୍ଥିତି ଶ୍ରଦ୍ଧାଳୁଙ୍କୁ ଅଧିଷ୍ଠାତ୍ରୀ ଦେବୀଙ୍କ ଦର୍ଶନରୁ ବିରତ କରିପାରିନି। ମୁଣ୍ଡ ଉପରେ ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ତାପ ସାଙ୍ଗକୁ ଉପରମୁହାଁ ପାରଦ ସତ୍ତ୍ବେ ହଜାର ହଜାର ଶ୍ରଦ୍ଧାଳୁ ତାରାତାରିଣୀ ପୀଠମୁହାଁ ହୋଇଛନ୍ତି। କାରଣ ଗତ ଦୁଇ ବର୍ଷ ହେବ କରୋନା ସଂକ୍ରମଣ ଆଶଙ୍କା ସହ କଟକଣା ହେତୁ ମାଁଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଦର୍ଶନାର୍ଥୀଙ୍କ ବିନା ହିଁ ସମ୍ପନ୍ନ ହୋଇଥିଲା। ଯଦିଓ ଚଳିତ ବର୍ଷ ଚୈତ୍ର ମଙ୍ଗଳବାର ଯାତ୍ରାରେ ଭକ୍ତମାନେ ଦେବୀଙ୍କ ଦର୍ଶନ ପାଇଥିଲେ, ତଥାପି ନୂତନ ମନ୍ଦିର ପ୍ରତିଷ୍ଠା ଅବସରରେ ପୁଣି ଦେବୀଙ୍କ ନବକଳେବର ପୀଠର ଦର୍ଶନରୁ ନିଜକୁ ଦୂରେଇ ରଖିପାରି ନାହାନ୍ତି ଶ୍ରଦ୍ଧାଳୁ। ତେଣୁ ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ବେ ଆଦିଶକ୍ତି ପୀଠରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ବହୁ ପ୍ରତିକ୍ଷୀତ ପ୍ରତିଷ୍ଠା ମହୋତ୍ସବରେ ସାମିଲ ହେବାକୁ ସାରା ରାଜ୍ୟରୁ ବ୍ରାହ୍ମଣ, ସାଧୁସନ୍ଥ ମଧ୍ୟ ଏହି ସ୍ଥାନରେ ପହଞ୍ଚି ସାରିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସପତ୍ନୀକ ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।

ଗତ ଦୁଇ ଦଶନ୍ଧି ଧରି ଚାଲିଥିଲା ମନ୍ଦିରର ପୁନଃନିର୍ମାଣ ପ୍ରକ୍ରିୟା। ଏକ ଭବ୍ୟ ତଥା ସୁନ୍ଦର ମନ୍ଦିର ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ସମୟରେ ସମାଜ ଓ ଶାସନ- ପ୍ରଶାସନର ବିଭିନ୍ନ ବର୍ଗରୁ ଏଥିପାଇଁ ନିରନ୍ତର ଉଦ୍ୟମ ହୋଇ ଆସିଥିଲା। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗ୍ରହ, ମାର୍ଗଦର୍ଶନକ୍ରମେ ମାଁ ତାରାତାରିଣୀଙ୍କ ପୀଠର ସର୍ବାଙ୍ଗୀନ ଉନ୍ନତି ସହ ଭକ୍ତଙ୍କ ସୁବିଧା ପାଇଁ ରୂପାନ୍ତରଣର ଐତିହାସିକ ପ୍ରକ୍ରିୟା ଜାରି ରହିଥିଲା। ଗତ କୋଡ଼ିଏ ବର୍ଷ ମଧ୍ୟରେ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିର ଓ ଆଖପାଖ ଅଞ୍ଚଳର ଉନ୍ନତୀକରଣ, ସୌନ୍ଦର୍ଯ୍ୟକରଣ କରାଯାଇଛି। ବିଶେଷକରି ୫-ଟି ରୂପାନ୍ତରଣ ଅଭିଯାନ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ପ୍ରୟାସରେ ଏହି କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା। କରୋନା କାଳରେ ମଧ୍ୟ ଉନ୍ନୟନ କାର୍ଯ୍ୟ ଅଟକି ନଥିଲା। ଫଳରେ ଏବେ ବଦଳିଛି ପ୍ରାଚୀନ ଏଇ ପୀଠର ନକ୍ସା, ପରିବର୍ତ୍ତିତ ହୋଇଛି ଆଖପାଖର ଦୃଶ୍ୟପଟ୍ଟ। ଏବେ ପ୍ରାକୃତିକ ଶୋଭା, ସବୁଜିମା ସାଙ୍ଗକୁ ନବକଳେବରରେ ଝଲସୁଛି ପର୍ବତ ଶିଖରରେ ବିଜେ ଆଦିଶକ୍ତିଙ୍କ ଏଇ ପୀଠ ଯାହା ପ୍ରତ୍ୟହ ସହସ୍ରାଧିକ ଭକ୍ତଙ୍କୁ ଆକୃଷ୍ଟ କରୁଛି। ନୂଆ କରି ନିର୍ମିତ ହୋଇଛି ଯଜ୍ଞ ମଣ୍ଡପ, ଦୀପ ଘର, ଭିୟୁ ପଏଣ୍ଟ, ମେଡିଟେସନ୍ ସେଣ୍ଟର୍, ପ୍ରଶାସନିକ ଭବନ, ମୁଣ୍ଡନ କକ୍ଷ, ବଜାର ଗୃହ, ଘାଟି ତଳୁ ପୀଠ ପର୍ଯ୍ୟନ୍ତ ପକ୍କା ରାସ୍ତା ଆଦି ଅନେକ କିଛି ନିର୍ମାଣ କାର୍ଯ୍ୟ। ଏହି ଶକ୍ତିପୀଠ ଏବେ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳ ଭାବେ ବିକଶିତ ହୋଇଛି। ମନ୍ଦିର ପୁନଃନିର୍ମାଣ କାର୍ଯ୍ୟ ସହ ଭକ୍ତମଣ୍ଡଳୀରେ ଖେଳିଯାଇଛି ନବ ଉନ୍ମାଦନା, ନୂତନ ଉତ୍ସାହ ଯାହା ଆଧ୍ୟାତ୍ମିକ ସ୍ରୋତକୁ ଅଧିକ ପ୍ରଖର କରିବାରେ ଲାଗିଛି।

ସାଧାରଣତଃ ପରିଲକ୍ଷିତ ହୋଇଛି ଯେ ଆମ ରାଜ୍ୟ ତଥା ଦେଶର ପ୍ରସିଦ୍ଧ ଶକ୍ତିପୀଠ ସମୂହ କୌଣସି ନା କୌଣସି ପର୍ବତ ଶିଖରରେ ବିରାଜମାନ। ମାଁ ତାରାତାରିଣୀ ପୀଠ ମଧ୍ୟ ସେଥିରୁ ବ୍ୟତିକ୍ରମ ନୁହେଁ। କିନ୍ତୁ ଏଇ ବୃହତ୍ ସ୍ଥାପତ୍ୟରାଜିର ନବକଳେବର ରୂପ ଆଧ୍ୟାତ୍ମିକତା ସହ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବାର ଉଜ୍ଜଳ ଦିଗ ପ୍ରତି ଇଙ୍ଗୀତ କରୁଛି ଯାହା ରାଜ୍ୟର ଆର୍ଥିକ ବିକାଶକୁ ମଧ୍ୟ ପରିପୃଷ୍ଟ କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ସହରାଞ୍ଚଳ ଠାରୁ ଅନତି ଦୂରରେ, ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୩ କିମି ଦୂର ପାହାଡ଼ ଉପରେ ବିଜେ ଏହି ପୀଠ ମୁଖ୍ୟ ରାସ୍ତାରୁ ପୀଠ ତଳଦେଶ ତଥା ସେଠାରୁ ଉପର ଭାଗରେ ବିଜେ ମନ୍ଦିର ପର୍ଯ୍ୟନ୍ତ ପକ୍କା ସଡ଼କ ଦ୍ୱାରା ସଂଯୁକ୍ତ। ତେବେ ଏହାର ଆଧ୍ୟାତ୍ମିକ ପରିବେଶ ବାଦେ ମଧ୍ୟ ନିକଟରେ ପ୍ରବାହିତ ପୁଣ୍ୟତୋୟା ଋଷିକୁଲ୍ୟା ନଦୀର ଅପରୂପ ଦୃଶ୍ୟ, ସବୁଜିମାରେ ଭରା ଚତୁଃପାର୍ଶ୍ଵ ଓ ପର୍ବତ ଉପରୁ ଦୃଶ୍ୟମାନ ବିସ୍ତୃତ ଇଲାକାର ମନୋରମ ଚିତ୍ର ଯେକୌଣସି ପର୍ଯ୍ୟଟକ, ଦର୍ଶନାର୍ଥୀ, ଭ୍ରମଣକାରୀଙ୍କୁ ଆତ୍ମତୃପ୍ତି ଦେବାକୁ ଯଥେଷ୍ଟ ଏଥିରେ କୌଣସି ଦ୍ବିମତ ନାହିଁ। ପାରମ୍ପରିକ ରୂପେ ଧାର୍ମିକ ପୀଠ ତାରାତାରିଣୀ ଏବେ ପର୍ଯ୍ୟଟନସ୍ଥଳ ଭାବେ ମଧ୍ୟ ବିକଶିତ ହେବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ଆର୍ଥିକ ଅନୁଦାନ ଓ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ ବେଶ୍ ମହତ୍ତ୍ଵ ରଖେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ବଳରେ ଧାର୍ମିକ ପୀଠକୁ ପର୍ଯ୍ୟଟନ ପୀଠ ଭାବେ ବିକଶିତ କରାଯାଇଛି। ତାରାତାରିଣୀ ପୀଠକୁ ସେହି ଦୃଷ୍ଟିରୁ ବିକଶିତ କରାଯାଇ ଆଗନ୍ତୁକଙ୍କ ନିମନ୍ତେ ଯାବତୀୟ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି।

Comments are closed.