ଦୁଇ ଦଶନ୍ଧିରେ ତାରାତାରିଣୀ ମନ୍ଦିରର କ୍ରମବିକାଶ

ଛତ୍ରପୁର: କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀଙ୍କ ମନ୍ଦିର। କୁହାଯାଏ ମହାଦେବଙ୍କ ମୋହାଚ୍ଛନ୍ନ ଅବସ୍ଥାକୁ ଭଗ୍ନ କରିବା ପାଇଁ ଦେବୀ ସତୀଙ୍କ ମର ଶରୀରକୁ ଯେତେବେଳେ ପ୍ରଭୁ ଶ୍ରୀବିଷ୍ଣୁ ସୁଦର୍ଶନ ଚକ୍ରରେ ଖଣ୍ଡିତ କରିଥିଲେ ସେତେବେଳେ ଦେବୀଙ୍କ ବକ୍ଷୋଜ ଅଂଶ ଏହିଠାରେ ପତିତ ହୋଇଥିଲା। ସେଥିପାଇଁ ତ ଏଠି ଦେବୀ ଯୁଗ୍ମରୂପିଣୀ, ପୀଠର ନାମ ହୋଇଛି ତାରାତାରିଣୀ। ତେବେ ବର୍ତ୍ତମାନ ଯେଉଁ ଭବ୍ୟ, ସୁନ୍ଦର ଓ ଆକର୍ଷଣୀୟ ମନ୍ଦିର ଆମେ ଦେଖିବାକୁ ପାଉଛୁ, ତାହା ମାସେ କି ବର୍ଷକର କଥା ନୁହେଁ। ଏହା ପଛରେ ରହିଛି ଦୀର୍ଘ ଦୁଇ ଦଶନ୍ଧିର ଅବିରତ ପ୍ରୟାସ ଓ ନିଷ୍ଠାପର ଉଦ୍ୟମ। ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ମାର୍ଗଦର୍ଶନ ଓ ଏତେ ଲମ୍ବା ସମୟ ଧରି ଗଞ୍ଜାମ ଜିଲ୍ଲା ପ୍ରଶାସନର ଲଗାତର ଅକ୍ଲାନ୍ତ ପରିଶ୍ରମ ଫଳରେ ଆଜି ଏହି ନୂତନ ମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇପାରିଛି।

ଯେତେବେଳେ ଏକବିଂଶ ଶତାବ୍ଦୀ ପୃଥିବୀପୃଷ୍ଠରେ ତାର ଆଦ୍ୟ ପାଦ ଥାପିଥିଲା, ସେତେବେଳର କଥା। ତାରାତାରିଣୀ ମନ୍ଦିର କହିଲେ ପର୍ବତ ଶିଖରରେ ଏକ ଛୋଟ ମନ୍ଦିର, ସେଠାକୁ ପହଞ୍ଚିବା ପାଇଁ ପଥରରେ ନିର୍ମିତ ପ୍ରାୟ ଏକ ସହସ୍ର ପାହାଚ, ପର୍ବତ ପାଦଦେଶରେ ସିଂହଦ୍ଵାର, ଛୋଟମୋଟ ଏକ ବଜାର, ଅତିଥିଶାଳା ଓ ୧୯୬୬ ମସିହାରେ ନିର୍ମିତ ପିଚୁ ରାସ୍ତା ଆଦିକୁ ବୁଝାଉଥିଲା, ଯେଉଁଠାକୁ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଭକ୍ତ ତଥା ଅଳ୍ପସଂଖ୍ୟକ ବାହାର ଅଞ୍ଚଳର ଶ୍ରଦ୍ଧାଳୁ ଦେବୀଦର୍ଶନ ଏବଂ ପିଲାଙ୍କ ମୁଣ୍ଡନ ପାଇଁ ଆସୁଥିଲେ। କେବଳ ସାଧାରଣ ଧାର୍ମିକ ପୀଠ ଭାବେ ପରିଚିତ ଥିଲା ଏହି ମନ୍ଦିର। ପର୍ବତ ପାଦଦେଶରେ କାହିଁ କେଉଁ କାଳରୁ ନିର୍ମିତ ଦୁଇଗୋଟି ସିଂହ ଓ ଦୁଇ ଜଣ ପ୍ରହରୀଙ୍କ ମୂର୍ତ୍ତି, ତତ୍କାଳୀନ ସମୟରେ ନିର୍ମିତ ନୃତ୍ୟରତ ଶିବପାର୍ବତୀଙ୍କ ଯୁଗଳ ମୂର୍ତ୍ତି, ପୀଠର ପ୍ରବେଶପଥ ଜଗମୋହନ ଦ୍ଵାରଦେଶରେ ଦୁଇଟି ଚତୁର୍ଭୁଜା ଜ୍ଵାଳାମୁଖୀ ମୂର୍ତ୍ତି, ଜଗମୋହନ ଛାତ ଉପରେ ଆଶୀର୍ବାଦ ମୁଦ୍ରାରେ ଶିବପାର୍ବତୀ, ପ୍ରଥମ ଜଗମୋହନକୁ ଲାଗି ୨୨ ଫୁଟ ଉଚ୍ଚ ପୁରାତନ ଜଗମୋହନ ଓ ଏହାକୁ ଲାଗି ପୀଢ଼ ଶୈଳୀରେ ନିର୍ମିତ ଗର୍ଭଗୃହ ଆଦି ଥିଲା ଏହି ପୀଠର ପରିଚୟ ଓ ଭୌଗୋଳିକ ରୂପରେଖ।

ପୂର୍ବତନ ଆରଡିସି ଅରୁଣ କୁମାର ପଣ୍ଡା ପୀଠର ବିକାଶ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନାରତ।

୨୦୦୨ ମସିହାରେ ସେହି ଅଞ୍ଚଳ (ହିଞ୍ଜିଳି ବିଧାନସଭା କ୍ଷେତ୍ର)ର ବିଧାୟକ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ଭାବେ ସେ ଏହି ଶକ୍ତି ପୀଠର ବିକାଶ ପାଇଁ ମଞ୍ଜୁର କରିଥିଲେ ୩୫ ଲକ୍ଷ ଟଙ୍କା। ତତ୍କାଳୀନ ଆର୍‌ଡିସି ଅରୁଣ ପଣ୍ଡା ତାରାତାରିଣୀ ପୀଠ ବିକାଶ ସମ୍ପର୍କିତ ଏକ ବୈଠକରେ ସେ ଏହି ପୀଠ ବେଶ୍ ଜନାଦୃତ ମନ୍ଦିରର ବିକାଶ ନିମନ୍ତେ ଭରପୁର ସମ୍ଭାବନା ରହିଥିବା ମତବ୍ୟକ୍ତ କରିଥିଲେ। ପ୍ରାକୃତିକ ଶୋଭାରାଜି ଭରପୁର ଥିବା ହେତୁ ଆଧ୍ୟାତ୍ମିକ ସ୍ଥଳକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ ସେ। ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ସହ ସାଧାରଣ ଜନତାଙ୍କ ପ୍ରଚେଷ୍ଟାରେ ଆଉ କିଛି ଅର୍ଥ ସଂଗ୍ରହ ଯୋଜନା ହୋଇଥିଲା। ଏଥିସକାଶେ ପୀଠର ନବକଳେବର ମଡେଲ୍‌ ସ୍ଥାନ ପାଇଥିବା ଏକ ରଥ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା ଓ ଭକ୍ତବୃନ୍ଦ ବହୁ ଅର୍ଥ ରାଶି ଦାନ ଦକ୍ଷିଣା ଆକାରରେ ପ୍ରଦାନ କରିଥିଲେ।

୨୦୦୩ ମସିହା ଜାନୁଆରୀ- ଫେବ୍ରୁଆରୀ ମାସରେ ପୃଥକ୍ ବୈଠକ କରାଯାଇ ମନ୍ଦିର ପୁନଃନିର୍ମାଣ ବାବଦରେ ବିସ୍ତୃତ ବିଚାରବିମର୍ଷ କରାଯାଇ ଥିଲା। ଗଠିତ ହୋଇଥିଲା ତାରାତାରିଣୀ ଉନ୍ନୟନ ପରିଷଦ। ତାରାତାରିଣୀ ମନ୍ଦିରର ନବକଳେବର ସକାଶେ ୫ କୋଟି ଟଙ୍କା ବଜେଟ୍ ଆଧାରରେ ଉନ୍ନୟନ ଯୋଜନାର ରୂପରେଖ କରାଯାଇ ଥିଲା। ତାହା ଥିଲା ଏକ ପରିବର୍ତ୍ତନର ଅୟମାରମ୍ଭ ଯାହାର ଫଳସ୍ବରୂପ ଏହି ମନ୍ଦିର ଗତ କିଛି ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତିତ ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାୟ ୧୧୭ କୋଟି ଟଙ୍କା ବ୍ୟୟ ହୋଇଛି। ପୁରାତନ ମନ୍ଦିରର ସ୍ଥାନ ନେଇଛି ବଉଳମାଳିଆ ପଥର ଦ୍ଵାରା ନିର୍ମିତ ଭବ୍ୟ ନୂତନ ମନ୍ଦିର। ବିଶାଳ ପଥର ଖଣ୍ଡକୁ କାଟି ଆଣି ପରେ ସେଥିରେ ପ୍ରସ୍ତର କାରିଗରଙ୍କ ହାତ ଓ ନିହାଣ ମୁନରେ ତାହାକୁ ଆକାର ଦିଆଯାଇ, ପତ୍ରକୁ ପଥର ଯୋଡ଼ି ଧିରେ ଧିରେ ମନ୍ଦିର ଉଚ୍ଚକୁ ଉଚ୍ଚ ଗଢ଼ି ଉଠିଲା। ସମୁଦ୍ରପତ୍ତନ ଠାରୁ ପ୍ରାୟ ୭ଶହ ଫୁଟ ଉଚ୍ଚରେ ତିଆରି ଚାଲିଥିଲା ନୂଆ ଏକ ପୀଠ ପରିସର। ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଧିରେ ଧିରେ ଆଗେଇ ଚାଲିଥିଲା ବଉଳମାଳିଆ ପଥରରେ ନିର୍ମାଣାଧୀନ ମନ୍ଦିରର ନବକଳେବର କାର୍ଯ୍ୟ। ପ୍ରସିଦ୍ଧ ମୁକ୍ତେଶ୍ଵର ମନ୍ଦିର ଢାଞ୍ଚାରେ ନିର୍ମିତ ହୋଇଥିଲା ସିଂହଦ୍ଵାର ପ୍ରବେଶ ପଥ।

ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭ ଅବସରରେ ଭୂମି ପୂଜନ କରୁଛନ୍ତି ତତ୍କାଳୀନ ଜିଲ୍ଲାପାଳ ଭି.କେ.ପାଣ୍ଡିଆନ।

ପ୍ରାଥମିକ ପର୍ଯ୍ୟାୟରେ ଅରୁଣ ପଣ୍ଡା, ସତ୍ୟବ୍ରତ ସାହୁ ପ୍ରମୁଖ ଆର୍‌ଡିସି ଏବଂ ସନ୍ତୋଷ ଶତପଥୀ, G. ମଥିଭାଥନନ୍, ସଂଜୀବ ମିଶ୍ର, ସଞ୍ଜୟ ସିଂ, ଭି.କେ.ପାଣ୍ଡିଆନଙ୍କ ପରି ଜିଲ୍ଲାପାଳଙ୍କ ପ୍ରୟାସରେ ମନ୍ଦିରର ରୂପରେଖ ବଦଳିବାରେ ଲାଗିଥିଲା। ପାଣ୍ଡିଆନ ଗଂଜାମ ଜିଲ୍ଲାପାଳ ଭାବେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭ ଦେଇଥିଲେ। ଆଉ ବର୍ତ୍ତମାନର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମନ୍ଦିର ପ୍ରତିଷ୍ଠା ଉତ୍ସବ ସକାଶେ ଶୁଭ ଦେଇଛନ୍ତି।

ପ୍ରଶାସନିକ ସ୍ତରରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପରିବର୍ତ୍ତନ ସତ୍ତ୍ବେ ନିରନ୍ତର ଜାରି ରହିଥିଲା ତାରାତାରିଣୀ ପୀଠର କ୍ରମାଗତ ବିକାଶ ପ୍ରକ୍ରିୟା। ପରବର୍ତ୍ତୀ ସମୟରେ ଆରମ୍ଭ ହୋଇଥିଲା ରୋପ୍ଓ୍ବେ ଚଳପ୍ରଚଳ। ଏହା ଭକ୍ତଙ୍କୁ ସୁବିଧାଜନକ ହେବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥିଲା।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ପରିଦର୍ଶନ ସହ ପୀଠର ବିକାଶ କାର୍ଯ୍ୟ ସମୀକ୍ଷା। ନିକଟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଉପସ୍ଥିତ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ବିଭିନ୍ନ ସମୟରେ ପଦସ୍ଥ ପ୍ରଶାସନିକ ଅଧିକାରୀମାନେ ପୀଠ ପରିଦର୍ଶନ କରି ପୁନଃନିର୍ମାଣ ତଥା ନବୀକରଣ କାର୍ଯ୍ୟକୁ ଆଗେଇ ନେବା ଉପରେ ଗୁରୁତ୍ବ ଦେଇ ଆସିଥିଲେ।

ତାରାତାରିଣୀ ପୀଠ ପ୍ରସିଦ୍ଧ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ ହେବାର ବାଟ ସେତେବେଳେ ଫିଟିଥିଲା ଯେତେବେଳେ ୫ ଫେବ୍ରୁଆରୀ ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୀଠର ନବୀକରଣ କାର୍ଯ୍ୟକୁ ମଞ୍ଜୁରୀ ଦେଇଥିଲେ। ଏଥିସହ ନବକଳେବର ପୀଠର ଥ୍ରୀ- ଡି ମଡେଲ୍ ମଧ୍ୟ ଉନ୍ମୋଚନ କରିଥିଲେ। ସେତେବେଳେ ସମସ୍ତେ ଜାଣିଗଲେ ଯେ ତାରାତାରିଣୀ ପୀଠ ଆଗାମୀ କିଛି ସମୟ ମଧ୍ୟରେ କିଭଳି ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ପାଲଟିବାକୁ ଯାଉଛି। ତାହାର ବାସ୍ତବ ରୂପାୟନ ଦେଖିବା ସହ ନୂତନ ମନ୍ଦିରର ବିଧିବଦ୍ଧ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଆସୁଛନ୍ତି।

Comments are closed.