ବିଏମ୍‌ସିର ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ | News Room Odisha

ବିଏମ୍‌ସିର ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର – ବିଶ୍ୱ ଖାଦ୍ୟ ଦିବସ ଅବସରେ ଭୁବନେଶ୍ୱର ମହାନଗର ନିଗମ ( ବିଏମ୍‌ସି ) ମୁଖ୍ୟାଳୟ ସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ଅଂଚଳର ଥିବା ହୋଟେଲ ,ରେଷ୍ଟୁରାଣ୍ଟ, ଫାଷ୍ଟ ଫୁଡ୍ ଆଦି ଷ୍ଟ୍ରିଟ ଭେଣ୍ଡରମାନେ ଯୋଗଦେଇଥିଲେ । ଲୋକମାନଙ୍କୁ ଖାଦ୍ୟ ଦେବା ପୂର୍ବରୁ କିପରି ପରିଚ୍ଛନ୍ନତା ଅବଲମ୍ବନ କରିବେ , ସେ ସଂପର୍କରେ କେତେକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା । ସଠିକ ଭାବେ ରାନ୍ଧିବା ସହ ତାକୁ ଆବଶ୍ୟକ ତାପମାତ୍ରାରେ ଘୋଡାଇ ରଖିବା , ଲୋକମାନଙ୍କୁ ପରଷିବା ବେଳେ ମୁଣ୍ଡରେ ଟୋପି , ମୁହଁରେ ମାସ୍କ ହାତରେ ଗ୍ଲୋବ , ଏବଂ ଦେହରେ ଆପ୍ରୋନ ପରିଧାନ କରିବାକୁ ଉଭୟ ମେୟର ଓ କମିଶନର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ସଂପ୍ରତି ଭୁବନେଶ୍ବର ଭାରତର ରିସୋର୍ଟ କ୍ୟାପିଟାଲ ଭାବେ ବେଶ ଜଣାଶୁଣା । କେବଳ ରିସୋର୍ଟ କ୍ୟାପିଟାଲ ନୁହେଁ , ଏହା ଆଇଟି ଓ ଶିକ୍ଷାର ହବ ପାଲଟିଛି । ଏବେ ସରକାର ଶିଳ୍ପ ବିକାଶକୁ ଗୁରୁତ୍ବ ଦେଉଥିବାରୁ ଅନେକ ବହୁରାଷ୍ଟ୍ରୀୟ କଂପାନୀ ମଧ୍ୟ ଓଡିଶାକୁ ଆସୁଛନ୍ତି । ଫଳରେ ସେମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଭଳି ଖାଦ୍ୟପେୟ ତଥା ଆଚରଣରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି ମେୟର । ଅନ୍ନ ହିଁ ପୂର୍ବ ବ୍ରହ୍ମ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅନ୍ନ ଲାଗି ହେଉଛି । ଲୋକେ ଖାଇବା ପୂର୍ବରୁ ଠାକୁରଙ୍କୁ ପାଣି ଛଡାଇ ଖାଦ୍ୟ ଗ୍ରହଣ କରୁଛନ୍ତି । ତେଣୁ ପ୍ରତ୍ୟେକ ଭେଣ୍ଡର ଖାଦ୍ୟକୁ ଭଗବାନଙ୍କ ପ୍ରସାଦ ଭାବି ପ୍ରସ୍ତୁତ କରିବା ଏବଂ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଗେ । ନିଜ ପରିବେଶକୁ ସଫା ରଖିବା ସହ ଆବଶ୍ୟକ ଆକାରର ଡଷ୍ଟବିନ ରଖିବା , ସମସ୍ତ ବର୍ଜ୍ୟକୁ ଓଦା ଓ ଶୁଖିଲା ଭାବେ ଅଲଗା ଅଲଗା କରି କେବଳ ବିଏମ୍‌ସି ଗାଡିକୁ ଦେବାକୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ସଫା ଆପ୍‌ରେ ଅଳିଆ ଉଠାଇବା ପାଇଁ ବୁକ୍ କଲେ , ଖୁବ୍ କମ୍ ସମୟରେ ବିଏମ୍‌ସି ଗାଡି ଯାଇ ବର୍ଜ୍ୟ ଉଠାଇ ଆଣିବ । ତେଣୁ କୌଣସି ଦୋକାନୀ ଏଣେତେଣେ ଅଳିଆ ନ ପକାଇବାକୁ ପରାମର୍ଶ ଦେଇଛନ୍ତି କମିଶନର । ଅତି ଛୋଟ ଛୋଟ କାମ ପ୍ରତି ଧ୍ୟାନ ଦେଲେ ବହୁତ ବଡ ବଡ ବିପଦରୁ ରକ୍ଷା ମିଳିଥାଏ । ତେଣୁ ସମସ୍ତ ଷ୍ଟ୍ରିଟ୍ ଫୁଡ ଭେଣ୍ଡରମାନେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ଗୁଣାତ୍ମକ , ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ଦରକାର । କେବଳ ସେତିକିରେ ସୀମିତ ରହିଲେ , ପରିବେଶ ପରିଷ୍କାର ହେବ ନାହିଁ , ସମସ୍ତେ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାରରୁ ନିବୃତ୍ତ ରହିବା ସହ ଥର୍ମକୁଲ ପ୍ଲେଟ ମଧ୍ୟ ବ୍ୟବହାର ନ କରିବାକୁ ଅନୁରୋଧ କରାଯାଇଛି । ‘ମୋ ସହର ମୋ ଦାୟିତ୍ବ’ ମନ୍ତ୍ର କୁ ସମସ୍ତ ବ୍ୟବସାୟୀ ହୃଦୟର ସହିତ ନେଇ ଏହାର ସଠିକଭାବେ କାର୍ଯ୍ୟକାରୀ କରିପାରିଲେ ଭୁବନେଶ୍ବର ଫାଷ୍ଟ୍ ହାତେଇ ହେବ ବୋଲି ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ଆପଣ ଦାୟିତ୍ବ ନେଲେ , ଭୁବନେଶ୍ବର ଫାଷ୍ଟ ଅଭିଯାନ ସାକାର ହୋଇପାରିବ ବୋଲି ମେୟର କହିଥିଲେ । ଏହି ଅବସରରେ ମେୟର ସମସ୍ତଙ୍କୁ ଶପଥପାଠ କରାଇଥିଲେ ।

ଖାଦ୍ୟ ପ୍ରସ୍ତୁତି , ସଂରକ୍ଷଣ ଓ ପରିବେଷଣରେ ଶୁଦ୍ଧତା ରକ୍ଷା କରିବା , ଖାଦ୍ୟ ପରଷିବାକୁ କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ନ ନେଇ ଏହାକୁ ଏକ ମହାନ କର୍ତ୍ତବ୍ୟ ବା ଯଜ୍ଞ ସ୍ୱରୂପ ପାଳନ କରିବା , ନିଜ ଅନୁଷ୍ଠାନର ୫ ମିଟର ଚତୁଃପାର୍ଶ୍ବକୁ ସଫା ରଖିବା ଏବଂ ବର୍ଜ୍ୟକୁ ପୃଥକ କରି ବିଏମ୍‌ସି ସଫା ଗାଢିକୁ ଦେବା ସହ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାରରୁ ଦୂରେଇ ରହିବା ଏବଂ ଭୁବନେଶ୍ୱର ଫାଷ୍ଟ ପାଇଁ ଦାୟିତ୍ବ ସଠିକ୍ ଭାବେ ନିଭାଇବାକୁ ଶପଥ ଗ୍ରହଣ କରିଛନ୍ତି । ଏହି ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମରେ ତିନୋଟି ଜୋନ୍‌ରୁ ୧୫୦ରୁ ଅଧିକ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ । ଡେପୁଟି ମେୟର ମଞ୍ଜୁଲତା କହଁର , ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚିନାରାୟଣ ମହାସୂପକାର , କର୍ପୋରେଟର , ତିନୋଟି ଜୋନର ଜୋନାଲ ଡେପୁଟି କମିଶନର , ତିନି ଜୋନ୍‌ରୁ ଆସିଥିବା ଷ୍ଟ୍ରିଟ୍ ଫୁଡ ଭେଣ୍ଡର ଆସୋସିଏସନର ସଭାପତି , ସଂପାଦକଙ୍କ ସମେତ ବିଭିନ୍ନ ହୋଟେଲ , ରେଷ୍ଟୁରାଂଟ , ଫାଷ୍ଟ୍ ଫୁଡ ବୋକାନୀ , ଖାଓ ଗଳି ଆସୋସିଏସନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ମଂଚ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ ଏବଂ ସିଟି ହେଲ୍‌ଥ ଅଫିସର ଡାକ୍ତର ଦୀପକ କୁମାର ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।