ଭୁବନେଶ୍ୱର – ଆଜି ବିଧାନସଭାରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଏଥର ବଜେଟର ଆକାର ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ। ପ୍ରତିବର୍ଷ ବଜେଟର ଆକାର ହାରାହାରି ୧୦ରୁ ୨୦ ପ୍ରତିଶତ ହାରରେ ବଢ଼ାଯାଉଥିବାରୁ ଆଗାମୀ ବର୍ଷ ପାଇଁ ବଜେଟର ଆକାର ୨ଲକ୍ଷ ୩୦ କୋଟି ଟଙ୍କା ଅତିକ୍ରମ କରିବା ସମ୍ଭାବନା ରହିଛି।
ଚଳିତ ବର୍ଷ ବଜେଟରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ଉପରେ ସରକାର ଅଧିକ ଧ୍ୟାନ ଦେଇପାରନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଭଳି ସାମାଜିକ କ୍ଷେତ୍ର ସହିତ ଶିଳ୍ପ କ୍ଷେତ୍ର ଉପରେ ବଜେଟରେ ସରକାର ଅଗ୍ରାଧିକାର ଦେବା ସମ୍ଭାବନା ରହିଛି। ମିଶନ ଶକ୍ତି ବିଭାଗକୁ ଅଧିକ କ୍ରିୟାଶୀଳ କରିବା, ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ଦେବା ଦିଗରେ କିଛି ପ୍ରଭାବଶାଳୀ ଯୋଜନା କାର୍ଯ୍ୟକାରୀ କରିପାରନ୍ତି। ମେକ୍ ଇନ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶର ପ୍ରସ୍ତାବ ମିଳିଥିବାରୁ ଏହାର ବାସ୍ତବ ରୂପାୟନ ଓ ଏହା ଜରିଆରେ ପ୍ରସ୍ତାବିତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାର ନିଶ୍ଚିତ ଭାବେ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ଏହାଛଡା ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ରୋଜଗାର ବୃଦ୍ଧି ଦିଗରେ ବଜେଟରେ କିଛି ନୂଆ ଯୋଜନା ସ୍ଥାନ ପାଇବା ସମ୍ଭାବନା ରହିଛି।