ପୁରୀ – ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଦିନ କେତେଟା ରହିଲା । ରଥଯାତ୍ରା ପାଇଁ ଆଜି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟଳୟରେ ବରିଷ୍ଠ ପୋଲିସ ପଦାଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଡିଜିପି । ଏଥର ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ପାଇଁ ୧୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପୂର୍ବବର୍ଷ ଭଳି ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ ବୋଲି ରାଜ୍ୟ ପୋଲିସ ଡିଜି କହିଛନ୍ତି। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ଏଡିଜି ସଞ୍ଜୟ କୁମାର, ଦୟାଲ ଗଙ୍ଗୱାର, ଅମିତାଭ ଠାକୁର, ଅମିତେନ୍ଦ୍ର ନାଥ ସିହ୍ନା, ଆଶିଷ ସିଂହ, ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।