ତପ୍ତପାଣି ନିକଟ କେନାଲରୁ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର | News Room Odisha

ତପ୍ତପାଣି ନିକଟ କେନାଲରୁ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ତପ୍ତପାଣି ନିକଟ କେନାଲରୁ ଜଣେ ଯୁବତୀଙ୍କ ଗଳିତ ମୃତ ଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତକ ହେଲେ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପୋଡ଼ାମାରି ଗ୍ରାମର ୨୬ ବର୍ଷୀୟା ସଙ୍ଗୀତା ପ୍ରଧାନ। ତେବେ ସେ ଘରୁ ୪ ଦିନ ହେଲା ନିଖୋଜ ଥିଲେ। ଅପରପକ୍ଷରେ ତାଙ୍କ ମାଆ ଲକ୍ଷ୍ମୀ ପ୍ରଧାନ ଓ ଦାଦା ସୀମାଞ୍ଚଳ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ଝିଅ ଜଣେ ସମ୍ପର୍କୀୟ ସହ ଘରୁ ଟଙ୍କା ଓ ସୁନା ଗହଣା ଧରି ପଳାଇ ଯାଇଥିଲା। ଏବେ ଝିଅର ମୃତଦେହ ସନ୍ଦେହଜନକ ଭାବେ ମିଳିଛି। ଏଣୁ ସମ୍ପର୍କୀୟ ଜଣକ ସଙ୍ଗୀତାଙ୍କୁ ହତ୍ୟା କରି ସବୁକିଛି ନେଇ ଚମ୍ପଟ ମାରିଛି। ପୋଲିସ ଘଟଣାର ତଦନ୍ତ କରୁଛି।

ଉକ୍ତ କେନାଲକୁ ପାଖ ଅଞ୍ଚଳର କିଛି ଲୋକ ମାଛ ଧରିବାକୁ ଯାଇଥିବା ବେଳେ ଶବ ଗନ୍ଧ ସହ ଯୁବତୀଙ୍କ ମୃତଦେହ ପଡ଼ିଥିବା ଓ ତାହା ଉପରେ ଏକ ବଡ଼ ପଥର ଚାପି ରଖାଯାଇଥିବା ଦେଖି ପାଟପୁର ଥାନା ପୋଲିସକୁ ଖବର ଦେଇଥିଲେ।
ଥାନାରେ ଚାରିଦିନ ତଳେ ଯୁବତୀଙ୍କ ନିଖୋଜ ଥିବା ଅଭିଯୋଗକୁ ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକ ଘଟଣାସ୍ଥଳକୁ ଆସି ମୃତ ଯୁବତୀଙ୍କୁ ଚିହ୍ନଟ କରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ତଦନ୍ତ କରିଛି। ମରଶରୀରକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।