କଟକ- ଭିଜିଲାନ୍ସ ଚଢାଉରେ ଅମାପ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେଲା ପରେ କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନର ସହକାରୀ ଯନ୍ତ୍ରୀ ଅର୍ଜୁନ ଚରଣ ସାହୁଙ୍କୁ ଗିରଫ କରାଯାଇଛି । ସହକାରୀ ଯନ୍ତ୍ରୀ ଅର୍ଜୁନ ଚରଣ ସାହୁଙ୍କ ବିପୁଳ ପରିମାଣର ସଂପତ୍ତି ଗତକାଲି ଠାବ କରିଥିଲା ଭିଜିଲାନ୍ସ ବିଭାଗ। ଗତକାଲି ହୋଇଥିବା ଚଢାଉରୁ ୨ ଲକ୍ଷ ୮୩ ହଜାର ନଗଦ ଟଙ୍କା, ରାଜ୍ୟର ବିଭିନ୍ନ ସ୍ଥାନରେ ୨୧ଟି ପ୍ଲଟ୍, ଭୁବନେଶ୍ବରରେ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଘର, ୭୦ ଲକ୍ଷ ୯ ହଜାର ଟଙ୍କାର ବ୍ୟାଙ୍କ ଜମା, ୩ଟି ଚାରି ଚକିଆ ଗାଡ଼ି ଏବଂ ଅନ୍ୟ ମୂଲ୍ୟବାନ ସଂପତ୍ତି ଠାବ କରାଯାଇଥିଲା। ଭିଜିଲାନ୍ସର ୭ଟି ଟିମ୍ ଏକ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।
ଭିଜିଲାନ୍ସ ବିଭାଗର ତଥ୍ୟ ଅନୁଯାୟୀ ଭୁବନେଶ୍ବର ଖଣ୍ଡଗିରି ବିହାରରେ ସହକାରୀ ଯନ୍ତ୍ରୀଙ୍କ ୫ ହଜାର ବର୍ଗଫୁଟ ପ୍ଲଟରେ ଏକ ତିନି ମହଲା କୋଠା ରହିଛି। ଏହାର ମୂଲ୍ୟ ଆନୁମାନିକ ୧ କୋଟି ଟଙ୍କାରୁ ଅଧିକ ହେବ । କେନ୍ଦ୍ରାପଡା ଡେରାବିଶ ସଦାନନ୍ଦପୁରରେ ୧୭୨୯ ବର୍ଗଫୁଟରେ ଗୋଟିଏ କୋଠା ଘର, ୨୧୮ ଗ୍ରାମର ସୁନା ଅଳଙ୍କାର, ୪୧ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ କରାଯାଇଛି। ଭିଜିଲାନ୍ସର ୭ଟି ସ୍ବତନ୍ତ୍ର ଟିମ ଭୁବନେଶ୍ବର ଖଣ୍ଡଗିରି ବିହାର ଘର, କେନ୍ଦ୍ରାପଡା ଡେରାବିଶ ସଦାନନ୍ଦପୁର ସ୍ଥିତ ଘର, ସାଲେପୁର ସ୍ଥିତ ସରକାରୀ କ୍ବାର୍ଟର, କେନ୍ଦ୍ରାପଡା ରାୟପୁରର ଶ୍ବଶୁର ଘର, କେନ୍ଦ୍ରାପଡା ବଡହାଟ ସ୍ଥିତ ସଂପର୍କୀୟଙ୍କ ଘର, କେନ୍ଦ୍ରାପଡା କୃଷି ଅଫିସ ନିକଟରେ ଥିବା ଜଣେ ସଂପର୍କୀୟଙ୍କ ଘର, ସାଲେପୁର ସ୍ଥିତ ଅଫିସରେ ଚଢଉ କରିଥିଲା।