ନୂଆଦିଲ୍ଲୀ – ଦେଶର ପ୍ରଥମ କିନ୍ନର ଭାବେ ପିଏଚଡି ହାସଲ କରିଥିବା ଓଡ଼ିଶାର ଦୀପା ସାହୁଙ୍କୁ ଆଜି ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଗତସିଂହପୁରୟ ମୂଳ ବାସିନ୍ଦା ଦୀପା ବର୍ତ୍ତମାନ କଟକ ହରିପୁରରେ ବସବାସ କରନ୍ତି । ସେ ପୁଅ ଥିଲେ ମଧ୍ୟ ପିଲାବେଳେ ତାଙ୍କ ଚାଲିଚଳଣିରେ ପରିବର୍ତ୍ତନ ଆସିଥିଲା । ଏଥିପାଇଁ ତାଙ୍କୁ ସାମାଜିକ ତାତ୍ସଲ୍ୟର ସମ୍ମୁଖୀନ ହେବାକୁ ପଡିଥିଲା । ଏପରିକି ନିଜ ପରିବାର ଲୋକେ ବି ତାଙ୍କୁ ଘୃଣା କଲେ । ଷଷ୍ଠ ଶ୍ରେଣୀ ପଢୁଥିବା ବେଳେ ସେ ଘରୁ ପଳାଇଆସି ମାମୁ ଘରେ ରହିଲେ । ସେଠାରେ ମଧ୍ୟ ତାଙ୍କୁ ଟାହିଟାପରା ଶୁଣିବାକୁ ମିଳିଥିଲା ଅପମାନ ସହି ନପାରି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗୁରୁତର ଭାବେ ତାଙ୍କୁ ଏସସିବି ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ଚିକିତ୍ସା କରାଯାଇ ସେ ସୁସ୍ଥ ଅନୁଭବ କରିବା ପରେ ଦୀପୁରୁ ପାଲଟି ଯାଇଥିଲେ ଦୀପା କିନ୍ନର । ସେ ସମୟରେ ତାଙ୍କୁ ରାଜ୍ୟ କିନ୍ନର ମହାସଙ୍ଗ ସଭାପତି ମୀରା ଓ ମିଠି କିନ୍ନର ସହାୟତା କରିଥିଲେ।
ହରିପୁରରେ ଘର ଭଡା ନେଇ ଉଭୟ ମିଠି ଏବଂ ଦୀପା ରହିଲେ। ପରବର୍ତ୍ତୀ ସମୟରେ ଦୀପା ରାଣୀହାଟ ସ୍କୁଲରେ ପାଠପଢା ଆରମ୍ଭ କରି ମାଟ୍ରିକରେ ଭଲ ନମ୍ବର ରଖି ସଫଳତା ପାଇଥିଲେ । ୨୦୧୪ରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟ ବିଜ୍ଞାନରେ ଯୁକ୍ତ ଦୁଇ, ୨୦୧୭ରେ ବଟାନିକାଲ ସାଇନ୍ସରେ ଯୁକ୍ତ ତିନି ପଢିଥିଲେ । ଏହାପରେ ଉତ୍କଳ ୟୁନିଭରସିଟିରେ ପିଏଚଡି କଲେ ଦୀପା । ନିଜ ପରିବାର ଓ ସମାଜର ଟାହିଟାପରା ସତ୍ତ୍ୱେ ହାର ନ ମାନି ଉଚ୍ଚଶିକ୍ଷିତ ହେବା ସହ ପିଏଚଡ଼ି ଡିଗ୍ରୀ ହାସଲ କରିଛନ୍ତି ଦୀପା । ସେ ଅନ୍ୟମାନଙ୍କ ଲାଗି ପ୍ରେରଣା ନିଶ୍ଚୟ ।