ବ୍ରହ୍ମପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରାକ୍-ଅବସରରେ ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟରୁ ୪ଟି ଅର୍ପଣ ରଥର ପରିକ୍ରମା ଆଜି ପୂର୍ବାହ୍ନରେ ଆରମ୍ଭ ହୋଇଛି। ମହାନଗରର ପ୍ରତ୍ୟେକ ୱାର୍ଡରେ ଅର୍ପଣ ରଥ ପରିକ୍ରମା କରି ଭକ୍ତଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ ଯାହାକୁ ପୁରୀ ପଠାଯିବ। ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ ଅବସରରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ବିବେକ ରେଡ୍ଡୀ, ବିଏମସି କମିଶନର୍ ଜେ.ସୋନାଲ ଓ କର୍ପୋରେଟରଗଣ ଉପସ୍ଥିତ ଥିଲେ। ପ୍ରଥମ ଦିନ ଏହି ରଥ ଆଜି ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧, ୨, ୧୫, ୨୧, ୩୩, ୩୪ ନମ୍ବର ଓ୍ବାର୍ଡ ବୁଲୁଛି।
ଆମ ଓଡ଼ିଶା ନବୀନ ଓଡ଼ିଶା (ସହରୀ) ଅଭିଯାନ ଅନ୍ତର୍ଗତ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଭକ୍ତମାନେ ସାମିଲ ହେବା ନେଇ ସଚେତନତା ସୃଷ୍ଟି କରୁଛି। ବିଭିନ୍ନ ସାହି ଓ ଛକରେ ରଥକୁ ଭକ୍ତମାନେ ବିଶେଷ କରି ମହିଳାମାନେ ଭବ୍ୟ ସ୍ବାଗତ ଜଣାଉଥିବା ଦେଖିବାକୁ ମିଳିଛି। ହୁଳହୁଳି ଶବ୍ଦରେ ଫୁଲ ପକାଇ, ଦୀପ ଜାଳି ଓ ପୂର୍ଣ୍ଣକୁମ୍ଭ ରଖି ସ୍ବାଗତ କରୁଛନ୍ତି। ଶ୍ରଦ୍ଧା ସହକାରେ ଅରୁଆ ଚାଉଳ ଓ ଗୋଟା ଗୁଆ ରଥ ନିକଟରେ ଅର୍ପଣ କରୁଥିବା ପରିଲକ୍ଷିତ ହେଉଛି।