ଭୁବନେଶ୍ବର: ସଚିବସ୍ତରୀୟ ବୈଠକ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ଯକ୍ଷତାରେ ଖାରବେଳଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରାବଧାନ ଅନୁସାରେ ଚଳିତ ଅପ୍ରେଲ ମାସ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ତରଫରୁ ସ୍ଥିତି ଉପସ୍ଥାପନ କରାଯାଇଥିଲା । ଦେଖାଯାଇଛି ଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପ୍ରେଲ ସୁଦ୍ଧା ସାମଗ୍ରିକ ଖର୍ଚ୍ଚ ୩୫ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଗତ ବର୍ଷ ତୁଳନାରେ ୬୬ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ଘଟିଛି ।
ବଜେଟ୍ ପ୍ରାବଧାନ ଅନୁସାରେ ପ୍ରତି ବିଭାଗମାନେ ନିଜ ନିଜ ସ୍ତରରେ ପ୍ରତିମାସରେ କାର୍ଯ୍ୟ ଅଗ୍ରଗତି ଓ ତଦନୁସାରେ ଖର୍ଚ୍ଚ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ମାଧ୍ଯମରୁ ସଂଗୃହିତ ନିଜସ୍ବ କର ଆଦାୟ ଓ ଅଣକର ଆଦାୟ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ୨୦୨୫-୨୬ ବଜେଟ୍ରେ ରହିଥିବା ନୂଆ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା ।
ବିଭିନ୍ନ ବିଭାଗରେ ଓସ୍ବାସ୍ ବା କମ୍ପ୍ୟୁଟରୀକରଣ ବ୍ୟବସ୍ଥାରେ ସରକାରୀ ନଥ୍ ପ୍ରୋସେସିଂ କାର୍ଯ୍ୟ ସାଧାରଣତଃ ସହକାରୀ ଉପବିଭାଗ ଅଧିକାରୀ, ଉପବିଭାଗ ଅଧିକାରୀ(ଏଏଓ-ଏସ୍ୱଙ୍କ) ଠାରୁ ଆରମ୍ଭ ହୋଇ ବିଭିନ୍ନ ଉପରିସ୍ଥ ଅଧିକାରୀଙ୍କ ସ୍ତର ଦେଇ ପ୍ରାୟ ୫-୬ଟି ପର୍ଯ୍ୟାୟରେ ଶେଷରେ ବିଭାଗୀୟ ସଚିବଙ୍କ ନିକଟରେ ପରବର୍ତ୍ତୀ ନିଷ୍ପଭି ବା ଆଦେଶ ପାଇଁ ନଥ୍ ପହଁଚୁଥିବାରୁ ସରକାରୀ କାର୍ଯ୍ୟ ବିଳମ୍ବିତ ହେଉଥିବା ପରିଲକ୍ଷିତ ହେଉଛି ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ସରଳ କରାଯାଇ ଯେପରି ସର୍ବାଧିକ ୩ଟି ସ୍ତର ଦେଇ ନିଷ୍ପଭି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ନଥ୍ ପହଁଚିବ, ସେଥିପାଇଁ ଏହି ବିଭିନ୍ନ ସ୍ତରୀୟ ବ୍ୟବସ୍ଥାକୁ କମାଯାଇ (ଡିଲେୟାରିଂ) ପ୍ରକ୍ରିୟାରେ ଏହି ବ୍ୟବସ୍ଥାର ସରଳୀକରଣ କରାଯିବ । ଫଳରେ ସରକାରୀ କାର୍ଯ୍ୟ, ସେବା ପ୍ରଦାନ ଓ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ । ଏଥିପାଇଁ ବିଭିନ୍ନ ବିଭାଗରୁ ମତାମତ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି ଓ ଖୁବ୍ ଶିଘ୍ର ତାହା କାର୍ଯ୍ୟକାରୀ ହେବା ପାଇଁ ବିବଦ୍ଧ ନିଷ୍ପତ୍ତି ନିଆଯିବା ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଲୋଚନା କରିଥିଲେ । ସେହିପରି ଆଗାମୀ ଦିନରେ କେତେକ ବିଭାଗ ତରଫରୁ ଆଗତ ହେବାକୁ ଥିବା ବିଭିନ୍ନ ନୀତି ଓ ନିର୍ଦ୍ଦେଶାବଳୀ ସଂପର୍କରେ ଚୂଡ଼ାନ୍ତ ପ୍ରସ୍ତାବ ପାଇଁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଛି ।
ବୈଠକରେ ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ଦେଓରଞ୍ଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।