ମୁଖ୍ୟମନ୍ତ୍ରୀ ରଖିଲେ ପ୍ରତିଶ୍ରୁତି… ମୁହାଣରୁ ବାଲି ଖନନ ଆରମ୍ଭ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡି ଅଞ୍ଚଳବାସୀଙ୍କ ପାଇଁ ବିକାଶର ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ସେମାନଙ୍କ ଦୀର୍ଘ ଦିନର ଦାବି ଏବେ ବାସ୍ତବ ରୂପ ନେଇଛି। ନିଜ ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି ସେମାନଙ୍କ ଦୀର୍ଘ ସମସ୍ୟାର ସମାଧାନ ପନ୍ଥା। ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶଙ୍କ ଦ୍ୱାରା ଆରମ୍ଭ ହୋଇଛି ମାର୍କଣ୍ଡି ଠାରେ ସାପୁଆ ନାଳ- ବଙ୍ଗୋପସାଗର ମୁହାଣ ସଂଯୋଗୀକରଣ କ୍ଷେତ୍ରରେ ବାଲି ଖନନ ପ୍ରକ୍ରିୟା। ୭ କୋଟି ଟଙ୍କାର ଏହି ପ୍ରକଳ୍ପ ଅନ୍ତର୍ଗତ ଉକ୍ତ ଡ୍ରେଜିଂ ମେସିନ୍ କାର୍ଯ୍ୟାରମ୍ଭ କରିଛି ଯାହା ନାଳ ଓ ସମୁଦ୍ର ମଧ୍ୟରେ ମୁହାଣ ଶଯ୍ୟାକୁ ଅଧିକ ଖନନ କରି ଜଳ ନିଷ୍କାସନକୁ ସୁଗମ କରିବ। ଏଥିସହ ବାତ୍ୟା ଓ ବନ୍ୟା ସମୟରେ ସମୁଦ୍ର କୂଳରୁ ଡଙ୍ଗାଗୁଡ଼ିକୁ ଉଦ୍ଧାର କରିହେବ। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ ଓ ତଅପୋଇ ଦାସ, ଏବିଡିଓ ତ୍ରିପତି ବାଲାଜୀ ସାମନ୍ତରାୟ, ବ୍ଲକ୍ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ବ୍ଲକ୍ ବିଜେଡି ସଭାପତି ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁର ଡ୍ରେନେଜ୍ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଇଂ ସିଦ୍ଧାର୍ଥ ଶେଖରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ତ୍ବରାନ୍ବିତ ହେବାରେ ଲାଗିଛି।

ବ୍ରହ୍ମପୁରରୁ ବଙ୍ଗୋପସାଗରକୁ ଲମ୍ବିଥିବା ବାହାନା ନାଳ ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡି ଅଞ୍ଚଳ ଦେଇ ସମୁଦ୍ରରେ ମିଶିଛି। ତେବେ ବର୍ଷା ଦିନେ ବାହାନା ନାଳ ମାର୍କଣ୍ଡି ଅଞ୍ଚଳବାସୀଙ୍କ ଦୁଃଖର କାରଣ ପାଲଟୁଥିଲା। ବାତ୍ୟା କିମ୍ବା ଲଘୁଚାପଜନିତ ପ୍ରବଳ ବର୍ଷା ହେଲେ ବାହାନା ନାଳର ଉଦ୍‌ବୃତ୍ତ ଜଳ ଠିକ୍ ଭାବେ ସମୁଦ୍ରକୁ ନିଷ୍କାସିତ ହୋଇ ନପାରି ମାର୍କଣ୍ଡି ଅଞ୍ଚଳର ଜମିରେ ମାଡ଼ି ଯାଉଥିଲା। ଫସଲ ବରବାଦ ହୋଇ ଯାଉଥିଲା। ଏହାର ପ୍ରତିକାର ପାଇଁ ଡିସେମ୍ବର ୨୫, ୨୦୨୧ରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ରେ ୭ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟରେ ସମୁଦ୍ର ମୁହାଣ ଖନନ ପାଇଁ ଶୁଭ ଦେଇଥିଲେ। ଫଳରେ ଗୋଟିଏ ପଟେ ମତ୍ସ୍ୟଜୀବୀଙ୍କ ଯାତାୟାତ ସମସ୍ୟାର ସମାଧାନ ସାଙ୍ଗକୁ ବର୍ଷା ଦିନେ ନାଳର ବଢ଼ି ପାଣି ଯୋଗୁଁ ସୃଷ୍ଟି ହେଉଥିବା ବନ୍ୟା ତଥା ଜଳବନ୍ଦୀ ସମସ୍ୟା ଏଣିକି ସୁଧୁରିଯିବ। ଅଞ୍ଚଳର ହଜାର ହଜାର ମତ୍ସ୍ୟଜୀବୀ ଉପକୃତ ହେବେ। ମୁହାଣ ଖନନ ସହ ଜଳ ନିଷ୍କାସନର ଉଚିତ ବ୍ୟବସ୍ଥା ହେବା ଦ୍ୱାରା ଆଉ ଚାଷୀ କି ମତ୍ସ୍ୟଜୀବୀ କ୍ଷତି ସହିବେନି। ମାର୍କଣ୍ଡି ଅଞ୍ଚଳବାସୀଙ୍କ ସମେତ ରଙ୍ଗେଇଲୁଣ୍ଡା ବ୍ଲକ୍‌ବାସୀଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଇ ପ୍ରକଳ୍ପକୁ ମଞ୍ଜୁରୀ କରାଇବା ପଛରେ ଥିଲା ଡ. ଦାଶଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା। ଅଞ୍ଚଳବାସୀ ସେମାନଙ୍କ ଦୁଃଖଦୁର୍ଦ୍ଦଶା ଦୂର ହେବାର ଆଶାରେ ଏବେ ଉତ୍‌ଫୁଲ୍ଲିତ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ସମାଧାନର ମାର୍ଗ ପ୍ରଶସ୍ତ କରି ଦେଇଥିବାରୁ ସେମାନେ ମଧ୍ୟ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.