ସୁନ୍ଦରଗଡରେ ଏମ୍ସକୁ କେନ୍ଦ୍ର ନାସ୍ତିବାଣୀ: ସାରା ପଶ୍ଚିମ ଓଡିଶାରେ ତୀବ୍ର ପ୍ରତିକ୍ରିୟା

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ପଶ୍ଚିମ ଓଡିଶା ବିରୋଧୀ ପଦକ୍ଷେପ ଏବେ ସମଗ୍ର ପଞ୍ଚିମାଞ୍ଚଳରେ ଅସନ୍ତୋଷର ବହ୍ନି ଜାଳିବା ଆରମ୍ଭ କଲାଣି। ଦୀର୍ଘ ବର୍ଷ ଧରି ପ୍ରତିଶ୍ରୁତି ପରେ ତଥା ତୁହାକୁ ତୁହା କେନ୍ଦ୍ରୀୟ ଟିମ୍ ଗସ୍ତ କରିବା ପରେ ଶେଷରେ ସୁନ୍ଦରଗଡର ପ୍ରସ୍ତାବିତ ଏମ୍ସ ହସପିଟାଲକୁ କେନ୍ଦ୍ର ମନା କରି ଦେଇଛି। ଫଳରେ ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ, ରାଉରକେଲା ଆଇଜିଏଚକୁ ମେଡିକାଲ କଲେଜରେ ରୂପାନ୍ତରିତ କରିବାକୁ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଫସର ଫାଟିଥିବା ବେଳେ ବର୍ତ୍ତମାନ ଏସ୍ସ ସ୍ଥାପନ ପ୍ରସଙ୍ଗରେ ଧୋକା ବିଜେପିକୁ ଅଡୁଆରେ ପକାଇ ଦେଲାଣି।

ସୁନ୍ଦରଗଡରେ ରାଜ୍ୟର ଦ୍ବିତୀୟ ଏମ୍ସ ସ୍ଥାପନ ନେଇ ରାଜ୍ୟ ସରକାର 3 ବର୍ଷ ତଳୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏନେଇ ଦୁଇ ଦୁଇ ଥର କେନ୍ଦ୍ରକୁ ଚିଠି ବି ଲେଖିଥିଲେ। ଏହାପରେ କେନ୍ଦ୍ର ସରକାର ସୁନ୍ଦରଗଡକୁ ପ୍ରତିନିଧି ମଧ୍ୟ ପଠାଇ ଅନୁଧ୍ୟାନ କରିଥିଲେ। ସେପଟେ, ଗତ ୨୦୧୩ ମସିହାରୁ ସୁନ୍ଦରଗଡରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଏବଂ ୫ ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାପନ ନେଇ ରାଜ୍ୟ ସରକାର ଏନଟିପିସି ସହ ଏମଓୟୁ ସ୍ବାକ୍ଷର କରିଥିବା ବେଳେ ଆସନ୍ତା ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି।
ଏଭଳି ସ୍ଥିତିରେ ଦ୍ବିତୀୟ ଏମ୍ସ ସ୍ଥାପନ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ନବ ଦାସ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସିଥିଲେ। ଏନେଇ ଜମିରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ଭିତ୍ତିଭୂମି ଯୋଗାଇ ଦେବାକୁ ରାଜ୍ୟ ସରକାର ନିଜ ଆଡୁ ପ୍ରସ୍ତାବ ବି ଦେଇଥିଲେ। ହେଲେ ଦୀର୍ଘ ବର୍ଷ ଧରି ଝୁଲାଇ ରଖିବା ପରେ ବର୍ତ୍ତମାନ କେନ୍ଦ୍ର ସରକାର ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ମନା କରି ଦେଇଛନ୍ତି। ଦୁଇଦିନ ତଳେ ରାଜ୍ୟସଭାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର୍ ସୁନ୍ଦରଗଡରେ ଦ୍ବିତୀୟ ଏମସ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ନ ଥିବା କହିବା ପରେ ସମଗ୍ର ପଶ୍ଚିମ ଓଡିଶାରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି।
ଏହାକୁ ନେଇ ସୋସିଆଲ ମିଡିଆରେ ସ୍ଥାନୀୟ ସାଂସଦ ଜୁଏଲ ଓରାମଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବିଜେପି ନେତାଙ୍କୁ ଲୋକେ ସାଂଘାତିକ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ପଶ୍ଚିମ ଓଡିଶା ପ୍ରତି ଚରମ ଉପହାସ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି। ଗୋଟିଏ ପଟେ ରାଜ୍ୟ ସରକାର ଏନଟିପିସି ସହାୟତାରେ ମେଡିକାଲ କଲେଜ ସ୍ଥାପନ ସ୍ବପ୍ନକୁ ସାକାର କରିବାକୁ ଯାଉଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ଏବେ ପଶ୍ଚିମ ଓଡିଶାବାସୀଙ୍କୁ କ୍ଷୁବ୍ଧ କରିଛି। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏନେଇ ସ୍ଥାନୀୟ ସାଂସଦ ଜୁଏଲ ଓରାମ ପାଟି ଫିଟାଉନଥିବାରୁ ଲୋକଙ୍କ ରାଗ ପଞ୍ଚମରେ ପହଞ୍ଚିଲାଣି।

Comments are closed.