୫-ଟି ସଚିବଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଡିସେମ୍ବର ୨୩ ସୁଦ୍ଧା ଉତ୍କେଲା ବିମାନଘାଟି ରନୱେ ସମ୍ପ୍ରସାରଣ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି. କେ ପାଣ୍ଡିଆନ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍କେଲା ,ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ଛାତ୍ରଛାତ୍ରୀ,ମହିଳା , କ୍ରୀଡାବିତ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରଥମେ ୫-ଟି ସଚିବ ଉତ୍କେଲା ବିମାନଘାଟିର ବିକାଶ କାମ ଅନୁଧ୍ୟାନ କରିଥିଲେ । କଳାହାଣ୍ଡି ଜିଲ୍ଲାର ବିମାନ ଯୋଗାଯୋଗର ବିକାଶ ପାଇଁ ଉତ୍କେଲା ବିମାନଘାଟି ରନୱେର ସମ୍ପ୍ରସାରଣ କାମ ଡିସେମ୍ବର ୨୩ ସୁଦ୍ଧା ଶେଷ କରିବାକୁ ୫-ଟି ସଚିବ ପରାମର୍ଶ ଦେଇଥିଲେ ।
ପରେ ପାଣ୍ଡିଆନ ବେଲଖଣ୍ଡିର ପ୍ରସିଦ୍ଧ ଉମା ମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ଯମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ ୧୫ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।
ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତର କାମ ୫-ଟି ସଚିବ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ୬ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୫-ଟି ସଚିବ ନିରାମୟ କେନ୍ଦ୍ରରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଥିଲେ ।
ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାନ୍ଦୁଳ ବ୍ୟାରେଜ କାମ ର ଅଗ୍ରଗତି ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ ପାଣ୍ଡିଆନ । ମାର୍ଚ୍ଚ ୨୪ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ଅବଗତ କରିଥିଲେ । ଏହି ବ୍ୟାରେଜ କାମ ଶେଷ ହେଲେ ନର୍ଲା ,କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ୨୯ ଟି ଗ୍ରାମର ଚାଷ ଜମିକୁ ଭୂତଳ ପାଇପ ଦ୍ଵାରା ପାଣି ମିଳିପାରିବ । ଏହି ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା’ ମାନଙ୍କ ସହ ଆଲୋଚନା କରିଥିଲେ ।
ଭବାନୀପାଟଣାରେ ୫-ଟି ସଚିବ ପୋଲିସ ହାଇସ୍କୁଲ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ ସ୍କୁଲ ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ ।
ଏହି ହାଇସ୍କୁଲ ତୃତୀୟ ପର୍ଯ୍ୟାୟ ରୂପାନ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଛି । ପରେ ପାଣ୍ଡିଆନ ଆଶା ସାଗର ବୁଲି ଦେଖିଥିଲେ ଏବଂ ଏହାର ପୁନରୁଦ୍ଧାର ପାଇଁ ୩୦ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ ।
ସେଠାରୁ ଭବାନୀପାଟଣା ବସ୍ ଟର୍ମିନାଲକୁ ଯାଇ କାମର ଅଗ୍ରଗତିର ସମୀକ୍ଷା କରି ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଗସ୍ତ ଅବସରରେ ପାଣ୍ଡିଆନ୍ କଳାହାଣ୍ଡି ମେଡିକାଲ କଲେଜ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ ଇ- ଲାଇବ୍ରେରୀ ଓ ଉନ୍ନତ ଲାବ୍ରୋଟରୀର ବିକାଶ କରାଯିବ ବୋଲି ୫-ଟିସଚିବ ସୂଚନା ଦେଇଥିଲେ । କଳାହାଣ୍ଡି ଟାଉନ ହଲରେ ୫-ଟି ସଚିବ ମିଶନ ଶକ୍ତି ମା’ମାନଙ୍କୁ ଭେଟିଥିଲେ ।
ଜୁନାଗଡ ଠାରେ ପ୍ରସିଦ୍ଧ ଲଙ୍କେଶ୍ଵରୀ ମନ୍ଦିରର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଓ ଏଥିପାଇଁ ଶୀଘ୍ର ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ପାଳଙ୍କୁ ପରାମର୍ଶ ଦେଇଥିଲେ । ଜୁନାଗଡର ବିଜୁ ପଟ୍ଟନାୟକ ଷ୍ଟାଡିୟମ କାମ ଅଗ୍ରଗତିର ୫-ଟି ସଚିବ ସମୀକ୍ଷା ମଧ୍ଯ କରିଥିଲେ ।





Comments are closed.