କଟକ – ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ରଙ୍କର ଦେହାନ୍ତ ହୋଇଯାଇଛି । ୯୫ ବର୍ଷ ବୟସରେ ଆଖି ବୁଜିଛନ୍ତି ଓଡ଼ିଶାର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି । କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ନିମୋନିଆ ଓ କିଡନୀ ସଂପର୍କିତ ରୋଗରେ ଆକ୍ରାନ୍ତ ଥିଲେ ଜୟନ୍ତ ମହାପାତ୍ର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
ଜୟନ୍ତ ମହାପାତ୍ରଙ୍କ ଇଂରାଜୀ କବିତା ଦେଶବିଦେଶର ଖୁବ୍ ଆଦୃତ ହୋଇଛି । ପ୍ରଥମ ଭାରତୀୟ କବି ଭାବେ ଇଂରାଜୀ କବିତା ପାଇଁ ଜୟନ୍ତ ମହାପାତ୍ର ୧୯୮୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୨୦୦୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କିନ୍ତୁ ସାମାଜିକ ଅସହିଷ୍ଣୁତାର ପ୍ରତିବାଦ କରି ୨୦୧୫ରେ ସେ ସମ୍ମାନ ଫେରାଇ ଦେଇଥିଲେ । ତାଙ୍କ ଲିଖିତ ମୋଟ ୨୭ଟି କବିତା ସଙ୍କଳନ ପ୍ରକାଶିତ ହୋଇଛି । ଏଥିମଧ୍ୟରୁ ୨୦ଟି ଇଂରାଜୀ ଓ ବାକି ଓଡ଼ିଆରେ ଲିଖିତ। ରିଲେସନସିପ୍, ବେରଫେସ ଓ ସ୍ୟାଡୋ ଫେସ୍ ପ୍ରମୁଖ ତାଙ୍କର ଅନନ୍ୟ କୃତି । ସେ ବିଭିନ୍ନ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ।
କବି ଜୟନ୍ତ ମହାପାତ୍ରଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜୟନ୍ତୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି। ଜୟନ୍ତଙ୍କ ମୃତ୍ୟୁ ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ । ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.