ମହମ୍ମଦ ଜୁବେରଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ : ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଉତ୍ତର ପ୍ରଦେଶରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାରେ ଅଲ୍ଟ ନ୍ୟୁଜ୍ ସହପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଶୁକ୍ରବାର ଜୁବେରଙ୍କ ଜାମିନ ଆବେଦନ ଶୁଣାଣି କରିବେ ସୁପ୍ରିମକୋର୍ଟ।

ଆଜି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜେ.କେ ମାହେଶ୍ୱରୀଙ୍କ ଏକ ଅବକାଶ କାଳୀନ ଖଣ୍ଡପୀଠ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ଅନୁମୋଦନ ପରେ ଶୁକ୍ରବାର ଦିନ ଜୁବେରଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି ।

ଜୁବେରଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ କଲିନ୍ ଗୋଞ୍ଜାଲେଭିସ୍ କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏହା ପରେ ତାଙ୍କୁ ଗିରଫ କରାଯାଇଛି।

ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ଅନୁରୋଧ କରି ସେ କହିଛନ୍ତି ଯେ ଜୁବେରଙ୍କ ଜୀବନ ପ୍ରତି ବିପଦ ରହିଛି । ଉତ୍ତର ପ୍ରଦେଶ ଜେଲରେ ତାଙ୍କୁ ଧମକ ମିଳୁଛି ।

ହିନ୍ଦୁ ଶେର ସେନାର ସୀତାପୁର ଜିଲ୍ଲା ସଭାପତି ଭଗବାନ୍ ଶରଣଙ୍କ ପକ୍ଷରୁ ଜୁନ୍ ୧ ରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୨୯୫-ଏ (ଧାର୍ମିକ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ ମନ୍ଦ କାର୍ଯ୍ୟ) ଏବଂ ସୂଚନା ପ୍ରଯୁକ୍ତି ଆଇନର ଧାରା -୬୭ ଅନୁଯାୟୀ ଜୁବେରଙ୍କ ନାଁରେ ଏକ ଏତଲା ଦିଆଯାଇଥିଲା ।

ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜୁନ ୨୭ରେ ଜୁବେରଙ୍କୁ ଗିରଫ କରିଥିଲା।

ଦିଲ୍ଲୀ ପୋଲିସ ଜୁବେରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଏବଂ ୨୦୧ (ପ୍ରମାଣ ନଷ୍ଟ) ସହ ବୈଦେଶିକ ଯୋଗଦାନ (ନିୟମାବଳୀ) ଆଇନର ଧାରା ୩୫ ମଧ୍ୟ ଲଗାଇଛି ।

Comments are closed.