ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ

ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର ସମ୍ପର୍କରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ୟୁନିଅନ ପକ୍ଷରୁ ବାରମ୍ବାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆନ୍ତରିକ ପ୍ରୟାସ କରାଯାଇଥିଲେ ମଧ୍ୟ କୌଣସି ସକାରାତ୍ମକ ଫଳାଫଳ ମିଳିନଥିବାରୁ ଗଣତାନ୍ତ୍ରିକ ଆନ୍ଦୋଳନକୁ ଜାରି ରଖିବାକୁ ୟୁନିଅନ ବାଧ୍ୟ ହୋଇଛି।

ଏହି ବିକ୍ଷୋଭରେ ଶତାଧିକ ଅଧିକାରୀ ଓ କର୍ମଚାରୀ ଉତ୍ସାହର ସହିତ ଯୋଗଦେଇ ୧୨ତମ ଦ୍ୱିପାକ୍ଷିକ ଚୁକ୍ତିର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା, ଜନବଳ ଅଭାବ ଦୂର କରିବା ପାଇଁ ନିଯୁକ୍ତି, ସ୍ୱଚ୍ଛ ବଦଳି ଓ ପଦୋନ୍ନତି ନୀତି, ଶାଖାଗୁଡ଼ିକର ଭିତ୍ତିଭୂମିର ଉନ୍ନତି, କର୍ମଚାରୀ କଲ୍ୟାଣ, ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରତିନିଧି ୟୁନିଅନମାନଙ୍କର ସ୍ୱୀକୃତି ସହ ବିଭିନ୍ନ ନ୍ୟାୟସଙ୍ଗତ ଦାବି ସପକ୍ଷରେ ସ୍ଲୋଗାନ ଦେଇଥିଲେ।

ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ବିକ୍ଷୋଭରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ହୃଷୀକେଶ ପାତ୍ର, ମାଧବ କୋଠିଆ, ଦିଗମ୍ବର ପଣ୍ଡା, ଅର୍ଜୁନ ମହାଙ୍କୁଡ଼, ଅମିତ ଦାସ, ସୂରଜ ପଣ୍ଡା, ଶଚୀକାନ୍ତ ପାତ୍ର ଏବଂ ମହେନ୍ଦ୍ର ସିଂହ ସକ୍ରିୟ ଭାବେ ଅଂଶଗ୍ରହଣ କରି ସଦସ୍ୟମାନଙ୍କୁ ଏକତାବଦ୍ଧ, ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ପ୍ରତିବଦ୍ଧ ରହିବାକୁ ଆହ୍ୱାନ ଦେଇଥିଲେ

ୟୁନିଅନମାନେ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ ସେମାନେ ସର୍ବଦା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ସହ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଫଳପ୍ରସୂ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବିଗୁଡ଼ିକର ସମାଧାନ ନ ହେଲେ, ୩ ରୁ ୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ RBI, NABARD, DFS ଓ IOBଙ୍କୁ ସ୍ମାରକପତ୍ର ପ୍ରଦାନ ଏବଂ ୧୭ ଅଗଷ୍ଟ ୨୦୨୬ର ଏକଦିବସୀୟ ଧର୍ମଘଟ ସମେତ ପରବର୍ତ୍ତୀ ସମସ୍ତ ଆନ୍ଦୋଳନ କାର୍ଯ୍ୟକ୍ରମ ପୂର୍ବ ଘୋଷିତ ସୂଚୀ ଅନୁଯାୟୀ ପାଳନ କରାଯିବ।

Comments are closed, but trackbacks and pingbacks are open.