ଆସନ୍ତାକାଲି ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହେବ ପ୍ରତିମୂର୍ତ୍ତି ଉନ୍ମୋଚନ

ଝାରସୁଗୁଡ଼ା: ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଆସନ୍ତାକାଲି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ଆସନ୍ତାକାଲି ବ୍ରଜରାଜନଗର ଖଲିଆକାନି ହସପିଟାଲ ସମ୍ମୁଖରେ ନିର୍ମାଣ ହୋଇଥିବା ବିଶାଳ ପୂର୍ଣାବୟବ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାକୁ ଯାଉଛନ୍ତି। ଭର୍ଚୁଆଲ ଯୋଗେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଥିବା ବେଳେ ପ୍ରତିମୂର୍ତ୍ତି ସ୍ଥଳରେ ବିପୁଳ ଜନସମାଗମ ହେବାକୁ ଯାଉଛି। ସେପଟେ ଆଜି ତାଙ୍କ ଶ୍ରାଦ୍ଧ ଅବସରରେ ବ୍ରଜରାଜନଗରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଗତବର୍ଷ ଡିସେମ୍ବର ୩୦ ତାରିଖ ସନ୍ଧ୍ୟାରେ ଏକ ସଭାରେ ଯୋଗଦେଇ ଥିବା ବେଳେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ତାଙ୍କର ଏହି ଅକାଳ ବିୟୋଗ ସବୁ ମହଲକୁ ଶୋକାକୁଳ କରିଥିଲା। ଆଜି ବି ତାଙ୍କର ଅବର୍ତ୍ତମାନରେ ଝୁରି ହେଉଛନ୍ତି ଅଗଣିତ କିଶୋର ପ୍ରେମୀ। ତେବେ

ଆସନ୍ତାକାଲି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିବା ବେଳେ ଶ୍ରଦ୍ଧାଞ୍ଜଳି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବ୍ରଜରାଜନଗରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୋଟ ୭୩୯ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ବର୍ତ୍ତମାନର ବିଧାୟିକା ତଥା କଶୋରଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ଏହି ଶିବିରକୁ ଉଦଘାଟନ କରିଥିଲେ। ବିଜେଡିର ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତର ନେତା ଓ କର୍ମୀ ସାମିଲ ହୋଇ ଥିଲେ। ସେହିପରି ଖଲିଆକାନି ହସପିଟାଲ ସାମ୍ନାରେ ନିର୍ମିତ ପୂର୍ଣାବୟବ ପ୍ରତିମୂର୍ତ୍ତିକୁ ଆସନ୍ତାକାଲି ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.