ବାଲେଶ୍ବର – ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ଏଠାକାର ହାଇସ୍କୁଲରେ ରଖାଯାଇଥିଲା କୁଢ଼ କୁଢ଼ ମୃତଦେହ । ଏଥିପାଇଁ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଏକ ପ୍ରକାର ଭୟ ଘାରିଥିବା କୁହାଯାଇଛି । ଖରାଛୁଟି ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ଅମଙ୍ଗ ହେଉଛନ୍ତି । ଏ ପ୍ରସଙ୍ଗରେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଆଜି ଅଭିଭାବକଙ୍କ ସହ ବୈଠକ କରିଛନ୍ତି ।
ବାହାନଗା ହାଇସ୍କୁଲରେ ଜିଲ୍ଲାପାଳ ପହଞ୍ଚି ମୃତଦେହ ରଖିବା ସ୍ଥାନ ଅନୁଧ୍ୟାନ କରିବା ସହ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲ ପରିଦର୍ଶନ କରି ଜିଲ୍ଲାପାଳ କହିଛନ୍ତି ଯେ,ଗାଁ ଲୋକଙ୍କ ଭାବନାକୁ ଆମେ ସମ୍ମାନ ଦେଉଛୁ । ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ହିଁ ପଦକ୍ଷେପ ନିଆଯିବ। ସ୍କୁଲ ଘର ପୁରୁଣା ହୋଇଥିବାରୁ ମଧ୍ୟ ଭଙ୍ଗା ଯାଇପାରେ ବୋଲି ସେ କହିଛନ୍ତି।
ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଭୟ ଦୂର କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଚାଲିଛି । ମୃତଦେହ ନିଆଯିବା ପରେ ସ୍କୁଲର ସାନିଟାଇଜ୍ କରାଯାଇଛି।
Comments are closed.