ଗଞ୍ଜାମରେ ଦୋହଲୁଛି ବିଜେପି : ବିଜେଡିରେ ମିଶିଲେ ବହୁ ଛାମୁଆ ନେତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସାଧାରଣ ନିର୍ବାଚନର ମାତ୍ର ୭ ମାସ ନ ପୁରୁଣୁ ଶାସକ ବିଜେପିର ସ୍ଥିତି ଦୋହଲି ଗଲାଣି। ଆଜି ହିଞ୍ଜଳି ନିର୍ବାଚନ ମଣ୍ଡଳୀର ବିଜେପିର ବହୁ ଛାମୁଆ ନେତା ପଦ୍ମ ଛାଡି ଶଂଖ ଧରିଛନ୍ତି। ଆଜି ନବୀନ ନିବାସରେ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି ଆଜି ବିଜେପି ଛାଡି ବିଜେଡିରେ ମିଶିଛନ୍ତି। ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେଡିରେ ସାମିଲ ହୋଇଛନ୍ତି। ହିଞ୍ଜିଳି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଯେଉଁଠାରୁ ସେ ଲଗାତାର ୬ ଥର ବିଧାୟକ ଭାବେ ଜିତିଛନ୍ତି। ଗତ ନିର୍ବାଚନରେ ବି ହିଞ୍ଜିଳିବାସୀ ନବୀନଙ୍କ ଉପରେ ଆଶୀର୍ବାଦ ବର୍ଷା କରି ବିଧାୟକ କରିଛନ୍ତି। ତେବେ ଆଜି ଦଳରେ ସାମିଲ ହୋଇଥିବା ସମସ୍ତଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ବିଜେଡିକୁ ଅଧିକ ସଂଗଠିତ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି।

ସରପଞ୍ଚ ସନ୍ତୋଷିନୀ ବେହେରା ବିଜେଡିରେ ସାମିଲ ହୋଇ ବହୁତ ଖୁସି ଥିବା କହିଛନ୍ତି।

ଗତ ସାତ ମାସ ହେଲାଣି ବିଜେପି କିଛି କାମ କରୁନି ବୋଲି ବିଜେଡିରେ ସାମିଲ ହୋଇଥିବା ସନ୍ତୋଷିନୀ କହିଛନ୍ତି। ସେହିପରି ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ଯେ ଆଜିର ପଦକ୍ଷେପ ଦ୍ବାରା ଗଞ୍ଜାମ ଜିଲ୍ଲାରେ ବିଜେଡିର ସଂଗଠନ ଆହୁରି ସୂଦୃଢ ହେବ। ଅନ୍ୟ ମାନଙ୍କ ମଧ୍ଯରେ ବିଜେଡି ସଭ୍ଯ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ପ୍ରମୁଖ ବିଜେପିର ପ୍ରତାରଣା କଥାକୁ ଊଲ୍ଲେଖ କରି ପ୍ରବଳ ବର୍ଷିଥିଲେ।

Comments are closed.